କେତେ ବିପଜ୍ଜନକ ମହିଳାଙ୍କ ଅର୍ଶରୋଗ

0

ଡାକ୍ତର ବିରଞ୍ଚି ନାରାୟଣ ମଲ୍ଲିକ

ସାଧାରଣତଃ ମହିଳାମାନେ ଅଧିକ ତେଲ ମସଲା,ଖଟାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଅାନ୍ତି । ଏହି ଖାଦ୍ୟ ଅଧିକ ଖାଉଥିବାରୁ ମହିଳାମାନେ ଅର୍ଶ ରୋଗର ସମ୍ମୁଖୀନ ହେଉଛନ୍ତି । ଆଜିକାଲିର କର୍ମଜୀବୀ ମହିଳା ଅଫିସରୁ ଘରକୁ ଫେରିବା ପରେ ରୋଷେଇ ନ କରି ବାହାରୁ ଖାଦ୍ୟ ଆଣିଥାନ୍ତି । ଏହା ଅଧିକ ତେଲ ମସଲା ଦିଆଯାଇ ତିଆରି ହୋଇଥାଏ । ଏହାକୁ ସବୁବେଳେ ଖାଇବା ଦ୍ୱାରା ମହିଳା ଅର୍ଶ ରୋଗର ସମ୍ମୁଖୀନ ହୋଇଥାନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଗର୍ଭାବସ୍ଥାରେ ମଧ୍ୟ କେତେକ ମହିଳାଙ୍କ ଠାରେ ଅର୍ଶ ଆରମ୍ଭ ହୋଇଥାଏ ।
ପ୍ରଥମେ ମଳତ୍ୟାଗ ପରେ ଉଜ୍ଜଳ ଲାଲ ବର୍ଣ୍ଣର ରକ୍ତସ୍ରାବ ସହ ମଳଦ୍ୱାରରେ ବେଦନା,ମଳଦ୍ୱାରା କୁଣ୍ଡାଇ ହେବା ଅାଦି ଲକ୍ଷଣ ଦେଖାଯାଇଥାଏ । ମଳତ୍ୟାଗ ବେଳେ ଅର୍ଶ ଅଙ୍କୁର ମଳଦ୍ୱାର ତଳକୁ ଖସି ଅାସିପାରେ । କିନ୍ତୁ ପରେ ସ୍ୱତଃ ଭିତରକୁ ଚାଲିଯାଇପାରେ । ତା ସହ ମଳଦ୍ୱାରରୁ ଅଠାଳିଆ ସ୍ରାବ ହୋଇପାରେ । ତୃତୀୟ ଅର୍ଥ ସ୍ୱତଃ ମଳଦ୍ୱାର ତଳକୁ ଖସିପଡେ ଯାହାକୁ ଚାପଦେଇ ଭିତରକୁ ପୂରାଇବାକୁ ପଡିପାରେ ।
ରୋଗୀର କୋଷ୍ଠବଦ୍ଧତା ରହିପାରେ । ମଳତ୍ୟାଗ ହେବାପରେ ତଥା ମଳଦ୍ୱାରରେ ତୀବ୍ର ବେଦନା ସହ ଜଳାପୋଡ଼ା ଓ କୁଣ୍ଡେଇ ହେବା ଆଦି ଲକ୍ଷଣ ଦେଖାଯାଇଥାଏ । ରୋଗୀଠାରେ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଅମ୍ଳଦୋଷର ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ମଳତ୍ୟାଗ ସମୟରେ ରକ୍ତସ୍ରାବ ମଧ୍ୟ ହୋଇଥାଏ । ରକ୍ତସ୍ରାବ ଅଧିକରୁ ମଧ୍ୟ ଅଧିକ ହୋଇଥାଏ । ଏହା ଫଳରେ ରୋଗୀ ରକ୍ତହୀନତା ପରି ଦେଖାଯାଏ । ରୋଗୀଟି ମଧ୍ୟ ଦୁର୍ବଳ ଅନୁଭବ କରେ ।
କୋଷ୍ଠଶୁଦ୍ଧି ରୋଗୀର ନିହାତି ଆବଶ୍ୟକ । ରୋଗୀ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ଅଧିକ ରାଗଯୁକ୍ତ, ତେଲମସଲା ଯୁକ୍ତ ଗରିଷ୍ଠ ଖାଦ୍ୟ, ଛଣାଛଣି ଖାଦ୍ୟ, ଅତି ଲୁଣ, ମିଠା, ଖଟା, ଅଣ୍ଡା, ଗରମା, ଖାଦ୍ୟ ଦୂଷିତ ଭୋଜନ, ଅସମୟରେ ଭୋଜନ, ଅଜୀର୍ଣ୍ଣ ଅବସ୍ଥାରେ ପୁନଃ ଭୋଜନ ଆଦି ଅଭ୍ୟାସକୁ ଛାଡିବା ଉଚିତ । କଞ୍ଚାଲଙ୍କା ଖାଇବା ଉଚିତ ନୁହେଁ । କୋଷ୍ଠବଦ୍ଧତା ଥିଲେ ସବୁଜ ପନିପରିବା,ତନ୍ତୁ ଜାତୀୟ ଖାଦ୍ୟ, ଖିସମିସ,ଖଜୁରୀ ଅାଦି ଖାଇବା ଉଚିତ ।ତୁଟୁକା ଔଷଧ ଭାବରେ ଘୋଳ ଦହି ଓ ବିଟ ଲୁଣ ସହ ଜୁଆଣି ଚୂର୍ଣ୍ଣ, ହରିଡା ଚୂର୍ଣ୍ଣ ସହ ଗୁଡ ଖାଇବା ଉଚିତ । ସଂପ୍ରତି ବ୍ୟସ୍ତବହୁଳ ଓ ଅତ୍ୟାଧୁନିକ ଜୀବନ ଚର୍ଯ୍ୟା ଭିତରେ ପ୍ରାୟତଃ ଶୁଣିବାକୁ ପାଇବେ ସମୟ ନାହିଁ । ବିଶେଷକରି କେବଳ କର୍ମଜୀବୀ ନୁହଁନ୍ତି, ଶ୍ରମଜୀବୀ ଓ ସାଧାରଣ ବର୍ଗର ମହିଳାଙ୍କ କ୍ଷେତ୍ରରେ ଅର୍ଶ ଏକ ସାଧାରଣ ରୋଗ ଭାବେ ପରିଚିତ ହେଲାଣି । କେତେକେ କ୍ଷେତ୍ରରେ ଏହି ରୋଗ ବଂଶାନୁକ୍ରମେ ସଂପୃକ୍ତ ମହିଳା ଏହି ଯନ୍ତ୍ରଣା ପାଇଥାନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ପ୍ରାରମ୍ଭିକ ସ୍ତରରେ ଅର୍ଶକୁ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିହେବ । ଏହାର ପ୍ରାଥମିକ ଲକ୍ଷଣ ପାଇବା ମାତ୍ରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ୱା ସର୍ଜରୀ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ଗର୍ଭଧାରଣ ମୟରେ ଏହା ଦେଖାଦେଲେ ଉଭୟ ମାଆ ଓ ପିଲାଙ୍କ ପାଇଁ ଯନ୍ତ୍ରଣା ସହିତ ବିପଦକୁ ନିମନ୍ତ୍ରଣ କରିଥାଏ । ନିଜର ଲାଳସା ଉପରେ ନିୟନ୍ତ୍ରଣ କରିବା ଜରୁରୀ । ବଜାରରେ ତଥାକଥିତ ଫାଷ୍ଟଫୁଡ୍‍,ଫ୍ରିଜର ଦୀର୍ଘ ଦିନର ଥଣ୍ଡା ଖାଦ୍ୟ, ଥଣ୍ଡା ପାନୀୟ, ନିଶା ଦ୍ରବ୍ୟ ସେବନ ଏପରିକି କମ୍ପ୍ୟୁଟର କିମ୍ୱା ଟିଭି ଦେଖିବା, ଯେ କୌଣସି ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିରହିବା ମଧ୍ୟ ଏହାର ଲକ୍ଷଣକୁ ବୃଦ୍ଧି କରିଥାଏ ।
ଅଧିକାଂଶ କ୍ଷେତ୍ରରେ ଦେଖାଯାଏ, ମହିଳା ଜଣକ ତୁଟୁକା ତୁଟିକି କିମ୍ୱା କାହା କାନ କୁହା କଥା ଶୁଣି ଚିକିତ୍ସା ଜାରି ରଖନ୍ତି। ଏହା ପରବର୍ତୀ ସମୟ ପାଇଁ ବିପଦ ସୃଷ୍ଟି କରିଥାଏ । ଗରିଷ୍ଠ ଖାଦ୍ୟ ବା ଅନ୍ତଃ ନଳୀ ଚାପ ଦ୍ୱାରା ଝାଡାରେ ରକ୍ତ ପଡିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ସର୍ବପ୍ରଥମେ କୋଷ୍ଠ କାଠିନ୍ୟରୁ ମୁକ୍ତି ପାଇଁ ଯତ୍ନବାନ ହୁଅନ୍ତୁ । କାରଣ ଏହା ହିଁ ଭୟାନକ ଅର୍ଶର ପ୍ରଥମ ପାହାଚ । ସବୁବେଳେ ଦୂଷିତ ଖାଦ୍ୟ ଓ ପାନୀୟ ଠାରୁ ଦୂରରେ ରହନ୍ତୁ । ଫାଷ୍ଟଫୁଡ୍‍ ବା ଗରିଷ୍ଠ ଖାଦ୍ୟ ଅପେକ୍ଷା ତନ୍ତୁ ଯୁକ୍ତ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ । ପ୍ରଚୁର ପାଣି ପିଅନ୍ତୁ ଓ ଖାଦ୍ୟ ମେନୁରେ ସାଲାଡ୍‍ ରଖନ୍ତୁ । ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।
ପ୍ରାରମ୍ଭିକ ସମୟରେ ମଳଦ୍ୱାର ଯନ୍ତ୍ରଣା ଅନୁଭବ କଲେ, ତତ୍‍କ୍ଷଣାତ୍‍ କୌଣସି ପେନ୍‍ କ୍ଲିୟର ଖାଆନ୍ତୁ ନାହିଁ । ଗରମ ପାଣି ସେକ ବ୍ୟବସ୍ଥା ଡାକ୍ତରଙ୍କ ପରାମର୍ଶ ସହିତ ନିଅନ୍ତୁ । ବ୍ରାହ୍ମ ମୁହୂର୍ତରୁ ଶଯ୍ୟା ତ୍ୟାଗ ଖୁବ ଭଲ ଅଭ୍ୟାସ । ଦିନରେ ଦୁଇଥର ନିର୍ଧାରିତ ସମୟରେ ବା ଥରେ ଶୌଚ କାମ ପାଇଁ ସମୟ ରଖନ୍ତୁ । ଆବଶ୍ୟକ ପଡିଲେ ସର୍ଜରି ଡାକ୍ତରଙ୍କ ପରାମର୍ଶ ସହିତ ଛୋଟିଆ ଅସ୍ତ୍ରୋପଚାର କରିପାରନ୍ତି । ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଅର୍ଶର ପ୍ରାରମ୍ଭିକ ସମୟରେ ସର୍ଜରି ବିଶେଷଜ୍ଞଙ୍କ ପରାମର୍ଶ ହିଁ ଆପଣଙ୍କ ପାଇଁ ଖୁବ ଭଲ ।
ବିଶେଷଜ୍ଞ, ସର୍ଜରି

You might also like

Leave A Reply

Your email address will not be published.

14 + 1 =