ଓପନ୍ ହାର୍ଟ ସର୍ଜରି ପାଇଁ ବାଟ ଖୋଲିଲେ

0

ଭୁବନେଶ୍ବର: କଟକ ଶ୍ରୀରାଚମନ୍ଦ୍ରଭଂଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମ୍ସ ପ୍ଲସ ଅନୁଷ୍ଠାନ କରିବା ଲାଗି ନକ୍ସା ଆଙ୍କିଥିବା ବେଳେ ଅତି ବ୍ୟୟବହୁଳ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟ ଆଗ ଆରମ୍ଭ କରିବା ଉପରେ ବିଧାନସଭା କମିଟି ଜୋର ଦେଇଛି। କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଓପନ୍ ହାର୍ଟ ସର୍ଜରି ବିଭାଗ ଖୋଲିବା ଉପରେ ବିଧାନସଭା ସ୍ଥାୟୀ କମିଟି (ସ୍ବାସ୍ଥ୍ୟ) ଗୁରୁତ୍ବାରୋପ କରିଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଏଠାରେ ଏଭଳି ଅସ୍ତ୍ରୋପଚାର ପାଇଁ ସୁଯୋଗ (ସିଟିଭିଏସ୍) ରହିଥିଲେ ହେଁ, ସରକାର ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେଉନଥିବା କାରଣରୁ ଏ କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରୁନାହିଁ।

କମିଟି କହିଛି, ଏହି ମେଡିକାଲ କଲେଜର ଏବେ ମାତ୍ର ଦୁଇ ଜଣେ ଅଛନ୍ତି, ଜଣେ ପ୍ରାଧ୍ୟାପକ ଓ ଅନ୍ୟ ଜଣେ ସହକାରୀ ପ୍ରାଧ୍ୟାପକ। ତୁରନ୍ତ ଆଉ ଜଣେ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତି ଦିଆଯିବା ଦରକାର। କେବଳ ସେତିକି ନୁହେଁ, ପର୍ଫ୍ୟୁଜନିଷ୍ଟ ନିଯୁକ୍ତି ଉପରେ ମଧ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଦୁଇଜଣ ନିଶ୍ଚେତକ ବିଶେଷଜ୍ଞ (କାର୍ଡିଆକ୍), ରେଡିଓଲୋଜିଷ୍ଟ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ନର୍ସ ପଦବି ପୂରଣ କରାଗଲେ, ଏହି କାର୍ଯ୍ୟଟି ସମାହିତ ହୋଇପାରିବ। ଏ କ୍ଷେତ୍ରରେ ସରକାର ତୁରନ୍ତ ସାକ୍ଷାତକାର ପାଇଁ ଡାକି ପଦବି ପୂରଣ କରିବା ଅପରିହାର୍ଯ୍ୟ ବୋଲି କମିଟି ଜୋର ଦେଇଛି।

୨୦୨୦-୨୧ ବଜେଟ୍ ବ୍ୟୟବରାଦ ଅନୁଧ୍ୟାନ ବେଳେ କମିଟି ଏକଥା ବି କହିଛନ୍ତି ଯେ ସବୁ ମେଡିକାଲ କଲେଜ, ରାଉରକେଲା ଜେନେରାଲ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା ସେଣ୍ଟର କାର୍ଯ୍ୟକ୍ଷମ ହେବା ଉଚିତ୍। ଏ କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସରକାରୀ ପଦକ୍ଷେପ ଲୋଡା। ପ୍ରତି ଏମସିଏଚରେ ବର୍ଣ୍ଣ ୟୁନିଟ୍ ଖୋଲାଯିବା, ସବୁ ମେଡିକାଲ କଲେଜରେ ଅଧିକରୁ ଅଧିକ ପିଜି ଓ ସୁପର ସେସ୍ପିଆଲିଟି ଡାକ୍ତର ନିଯୁକ୍ତି, ଆୟୁଷ ହସ୍ପିଟାଲରେ ମେଡିକାଲ ଅଫିସର ନିଯୁକ୍ତି ଲାଗି ମଧ୍ୟ କମିଟି ଯୁକ୍ତି ରଖିଛି।

ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ଲକ୍ଷ୍ମଣ ମୁଣ୍ଡା, ଲତିକା ପ୍ରଧାନ, ମିନାକ୍ଷୀ ମହାନ୍ତି, ସୁଧାଂଶୁ ଶେଖର ପରିଡା, ରାଜକିଶୋର ଦାସ, ବାସନ୍ତୀ ହେମ୍ବ୍ରମ୍, ମଦନ ମୋହନ ଦତ୍ତ, କୁସୁମ ଟେଟେ, ଡାକ୍ତର ବି ମୁର୍ମୁ ପ୍ରମୁଖ ସଦସ୍ୟ ଅଛନ୍ତି।

You might also like

Leave A Reply

Your email address will not be published.

3 × 1 =