ଶିଶୁ ଓ ବୟସ୍କଙ୍କ ପାଇଁ ନିମୋନିଆ ବିପଦ

0

ଅନିୟମିତ ମୈାସୁମୀ ଏବଂ ବାରମ୍ୱାର ପାଗ ପରିବର୍ତ୍ତନ ଛୋଟ ପିଲାଙ୍କ ଶ୍ୱସନ ତନ୍ତ୍ରରେ ଭୀଷଣ ବିଶୃଙ୍ଖଳା ସୃଷ୍ଟି କରେ । ୫ବର୍ଷ ବୟସରୁ କମ୍‍ ଶିଶୁମାନେ ଥଣ୍ଡା,କାଶ ଓ ଭୂତାଣୁ ସଂକ୍ରମଣର ଶିକାର ହୋଇଥାନ୍ତି । ଶ୍ୱସନ ତନ୍ତ୍ରର ପ୍ରଥମ ଭାଗରେ ଭୂତାଣୁ ବା ଇନ୍‍ଫ୍ଲୁଏନ୍‍ଜା ସଂକ୍ରମଣ ହେଲେ ପିଲା ନିମୋନିଅା ଦ୍ୱାରା ପ୍ରବାଭିତ ହେବାର ଆଶଙ୍କା ଥାଏ । ପିଲାମାନେ ଘନ ଘନ ନିଶ୍ୱାସ ଛାଡନ୍ତି । ଜ୍ୱର ରହେ ଏବଂ ପରୀକ୍ଷା କଲେ ଜଣାଯାଏ ଯେ ପିଲାଟି ନିମୋନିଆରେ ପୀଡିତ। ଶ୍ୱସନ ତନ୍ତ୍ରରେ ବ୍ୟାକ୍ଟରିଆ ବା ଭାଇରସ୍‍ ଜନିତ ସଂକ୍ରମଣ ହେଲେ ନିମୋନିଆ ହୁଏ ।


ସଂକ୍ରମଣ ଯୋଗୁଁ ଗୋଟିଏ ବା ଦୁଇଟି ଯାକ ଫୁସଫୁସ ରେ ପ୍ରଦାହ ଜାତ ହୁଏଓ ଫୁସଫୁସ ଭିତରେ ଥିବା ବାୟୁ ସ୍ଥଳୀରେ ତରଳ ପଦାର୍ଥ ଜମିଯାଏ। ଫଳରେ ଫୁସଫୁସ ଠିକ୍‍ ଭାବେ କାର୍ଯ୍ୟ କରେ ନାହିଁ । ୨ରୁ ୫ବର୍ଷର ପିଲାମାନେ ଏହି ରୋଗରେ ପୀଡିତ ହୁଅନ୍ତି । କାରଣ ସେମାନଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ । କେବଳ ବର୍ଷାରେ ଭିଜିଲେ ଯେ ନିମୋନିଆ ହୁଏ ତାହା ନୁହେଁ । ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ମଧ୍ୟ ନିମୋନିଆ ହୋଇପାରେ । ଓଦାଳିଆ ପରିବେଶ,ବାୟୁ ପ୍ରଦୂଷଣ,ଧୂମପାନ ଏବଂ ଜନଗହଳି ବ୍ୟାକ୍ଟରିଆ ଭୂତାଣୁ ଓ କବକ ମାନଙ୍କ ବଂଶବୃଦ୍ଧିର କାରଣ ହୋଇଥାଏ ।

ଖାଦ୍ୟ ଅଭାବ ଜନିତ ଦୁର୍ବଳତା,ଭିଟାମିନ୍‍ ଏ,ବି ଓ ଧାତବ ଲବଣ ଜିଙ୍କ୍‍ ର ଅଭାବ ଦୁର୍ବଳ ପ୍ରତିରୋଧକ ଶକ୍ତି,ଫୁସଫୁସ ଜନିତ ଅସୁସ୍ଥତା ଓ ଆଣ୍ଟି କ୍ୟାନ୍‍ସର ଔଷଧ ନିମୋନିଆ ସଂକ୍ରମଣର ଅାଶଙ୍କା ସୃଷ୍ଟି କରିଥାଏ ।
ବ୍ୟାକ୍ଟରିଆ ଜନିତ ନିମୋନିଆରେ ୧୦୨ଡିଗ୍ରୀ ଫାରେନାଇଟ୍‍ ପର୍ଯ୍ୟନ୍ତ ଶରୀରରେ ଉତ୍ତାପ ହୁଏ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୁଏ । ଶ୍ୱାସକି୍ରୟାର ଗତି ବୃଦ୍ଧିପାଏ । ନିଶ୍ୱାସ ଛାଡିଲା ବେଳେ ଶବ୍ଦ ହୁଏ ଓ ଛାତିରେ ଯନ୍ତ୍ରଣା ହୁଏ । ଦେହ ମଧ୍ୟ ବିନ୍ଧେ ଓ ଦୁର୍ବଳ ଲାଗେ । ଖାଦ୍ୟ ଖାଇ ହୁଏ ନାହିଁ,ନିଦୁଆ ଲାଗେ,ଦେହରୁ ଅଧିକ ଝାଳ ବାହାରେ ଓ କଫରେ ରକ୍ତ ପଡେ । ଭୂତାଣୁ ଜନିତ ନିମୋନଆର ଲକ୍ଷଣ ମଧ୍ୟରେ ଶରୀରର ଉତ୍ତାପ ୧୦୨ ଡିଗ୍ରୀ ଫାରେନାଇଟରୁ କମ୍‍ ରହେ,କମ୍‍ କଫ ବାହାରେ । ଶ୍ୱସନ ତନ୍ତ୍ରର ପ୍ରଥମ ଭାଗରେ ସଂକ୍ରମଣ ହୁଏ । ପେଶୀ ବିନ୍ଧେ ଓ ହାଲିଆ ଲାଗେ ।


ଶିଶୁମାନଙ୍କଠାରେ ଉପରୋକ୍ତ ଲକ୍ଷଣ ରହିଲେ ଡାକ୍ତରଙ୍କୁ ଶୀଘ୍ର ଦେଖାଇବା ଉଚିତ୍‍ । ଠିକ୍‍ ସମୟରେ ରୋଗୀର ଚିକିତ୍ସା ନକଲେ ରୋଗୀ କାଲ ହେବାର ସମ୍ଭାବନା ରହିଥାଏ । ମସ୍ତିଷ୍କ ନଷ୍ଟ ହୋଇପାରେ କିମ୍ୱା ରୋଗ ଗମ୍ଭୀର ହେଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ । ଶିଶୁମାନଙ୍କୁ ପ୍ରଥମ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ୍‍ । ଫଳରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ପରିବେଶ ଭଲ ରହିଲେ ରୋଗ ସଂକ୍ରମଣ କରିନଥାଏ । ବ୍ୟାକ୍ଟରିଆ ଜନିତ ନିମୋନିଆ ଶିଶୁମାନଙ୍କ କ୍ଷେତ୍ରରେ ମୃତ୍ୟୁର ଅନ୍ୟତମ କାରଣ । ପୃଥିବୀରେ ଅନେକ ବୃଦ୍ଧ ବ୍ୟକ୍ତି ପଞ୍ଚଷଠି ବର୍ଷ ବୟସ ପରେ ନିମୋନିଆରେ ପ୍ରାଣ ହରାନ୍ତି । ହୃଦ୍‍ ରୋଗ,ଶ୍ୱାସ,ଯକୃତ ରୋଗ,ବୃକକ ରୋଗ, କ୍ୟାନସର ଓ ଡାଇବେଟିସ ଥିଲେ ନିମୋନିଆ ସଂକ୍ରମଣର ଆଶଙ୍କା ଥାଏ । ତେଣୁ ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ସମସ୍ତେ ନିମୋନିଆ ଟୀକା ନେବା ଉଚିତ୍‍ ।
ଲୋକପ୍ରିୟ ବିଜ୍ଞାନ ସଂଚାରକ,
ଜି/ଏଲ-୧ ଭିଏସ୍‍ଏସ୍‍ ନଗର,ଭୁବନେଶ୍ୱର-୦୭

You might also like

Leave A Reply

Your email address will not be published.

one × three =