ଅଳ୍ପ ବୟସ ବିବାହ ଓ ମାତୃତ୍ୱ ଏକ ସାମାଜିକ ସମସ୍ୟା

0

ଡ଼ଃ ସରୋଜିନୀ ଷଡ଼ଙ୍ଗୀ

ପୁରୁଷ ଭଳି ନାରୀର ମଧ୍ୟ ସନ୍ତାନ ଜନ୍ମକୁ ନିୟନ୍ତ୍ରଣ କରିବାର ମୌଳିକ ଅଧିକାର ରହିଛି, ସନ୍ତାନ ଜନ୍ମ ତଥା ପରିବାର ନିୟନ୍ତ୍ରଣର ଉଚ୍ଚତମ ପର୍ଯ୍ୟାୟରେ ପହଞ୍ôଚବାକୁ ହେଲେ ନାରୀର ଏ ବିଷୟରେ ସଂପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ, ଏବଂ ସେ କେତେ ବ୍ୟବଧାନରେ କେତୋଟି ଏକା ଓ କେତେବେଳେ ସନ୍ତାନ ଜନ୍ମକରିବ, ସେ କଥାର ସିଦ୍ଧାନ୍ତ ମଧ୍ୟ ନାରୀଟିଏ ହିଁ କରିବା ଉଚିତ୍ । ସାରା ବିଶ୍ୱର ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି କିଶୋରୀ, ଭାରତରେ ୧୦ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ ୧୯୦ ନିୟୁତ କିଶୋରୀ ବାସ କରନ୍ତି । ତନ୍ମଧ୍ୟରୁ ୨୦ବର୍ଷ ତଳକୁ ପ୍ରାୟ ଶତକଡ଼ା ୨୦ରୁ ୬୦ ଭାଗ ଗର୍ଭଧାରଣ ଓ ପ୍ରସବ ଅବାଂଛିତ ହୋଇଥାଏ । ଭାରତରେ ପ୍ରତିବର୍ଷ ୩୦ଲକ୍ଷ କିଶୋରୀ କନ୍ୟା ବିବାହ କରିଥାନ୍ତି ଏବଂ ତନ୍ମଧ୍ୟରୁ ଶତକଡ଼ା ୪୩ଭାଗ ମୃତ୍ୟୁ ଗର୍ଭଜନିତ ଓ ପ୍ରସବ ଜନିତ କାରଣରୁ ହୋଇଥାଏ ।
ଅଳ୍ପବୟସରେ ମାତୃତ୍ୱର ସାମାଜିକ ଫଳାଫଳ :-
ଭାରତର ଚିରାଚରିତ ଦୃଶ୍ୟପଟରେ ଝିଅମାନଙ୍କର ଶୈଶବରୁ ଯୌବନର ପରିବର୍ତ୍ତନ ଖୁବ୍ ଶୀଘ୍ର ହୋଇଥାଏ । ଶତକଡ଼ା ୩୦ଭାଗ କିଶୋରୀକନ୍ୟା ବିଦାଳୟ ଶିକ୍ଷାରୁ ବଞ୍ôଚତ ହୋଇଥାନ୍ତି । ଆମଦେଶର ସାମାଜିକ ସ୍ତରରେ ଲିଙ୍ଗଭେଦର ପ୍ରାଧାନ୍ୟ ଯୋଗୁଁ କିଶୋରୀକନ୍ୟାର ଖାଦ୍ୟ, ପୋଷାକ, ସ୍ୱାସ୍ଥ୍ୟର ଯତ୍ନ ତଥା ବର୍ଦ୍ଧନଶୀଳତାରେ ଅନେକ ଅସୁବିଧା ଦେଖାଦେଇଥାଏ । ପ୍ରଥମ ଋତୁସ୍ରାବର ବୟସ ୧୬ ବର୍ଷରୁ ୧୦-୧୨ ବର୍ଷକୁ କମିଯିବା ତଥା କିଶୋର ଓ କିଶୋରୀ ମାନଙ୍କର ଅବାଧ ମିଳାମିଶା ତଥା ଘରେ ଓ ସ୍କୁଲରେ ଯୌନ ଶିକ୍ଷାର ଅଭାବ ଯୋଗୁଁ ଅଳ୍ପବୟସର ଝିଅଟି ଉପରେ ମାତୃତ୍ୱର ବୋଝ ଲଦି ଦିଆଯାଏ । ଏଥିରେ ଅଧିକାଂଶ କିଶୋରୀ କନ୍ୟା ମାନଙ୍କର ଗର୍ଭପାତ, ଅବୋଧ ଗର୍ଭଧାରଣ ଯୋଗୁଁ ବଳପୂର୍ବକ ବା’ ଅନିଚ୍ଛାକୃତ ବିବାହ, ଅବାଂଛିତ ମାତୃତ୍ୱ, ତ୍ୟଯ୍ୟ ସନ୍ତାନ ଏବଂ ତଦ୍ଜନିତ ମାନସିକ ଦୁଃଶ୍ଚିନ୍ତା ବେଶୀ ଦେଖାଯାଏ । ଏହି ମାନସିକ ଅସନ୍ତୁଳନତା ଯୋଗୁଁ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖରେ ପରାମର୍ଶ କରିବାକୁ ଡ଼େରି କରିଦିଏ ଏବଂ ଗର୍ଭନଷ୍ଟ ପାଇଁ ମଧ୍ୟ ବିଳମ୍ବ କରିଦିଏ ।
ଗର୍ଭନଷ୍ଟ :-
କିଶୋରୀ କନ୍ୟାମାନଙ୍କର ଅବୈଧ ଗର୍ଭଧାରଣ ହେଲେ, ସେମାନେ ଏମ୍.ଟି.ପି. ସେଣ୍ଟର୍କୁ ନଯାଇ ଗାଁ ଗହଳିରେ ଅଣତାଲିମ୍ ପ୍ରାପ୍ତ କ୍ୱାକ୍ ଠାରୁ ତୁଟୁକା ତୁଟୁକି ଚେରମୂଳି ଔଷଧ ଖାଇ ବିଷାକ୍ତ ଗର୍ଭପାତ ବା’ ସେପ୍ଟିକ୍ ଆବୋର୍ସନ୍ର ଶିକାର ହୁଅନ୍ତି । ତା’ ମଧ୍ୟରୁ ଅନେକେ ମୃତ୍ୟୁମୁଖରେ ପଡ଼ିଥାନ୍ତି ତ’ ଆଉ କେତେକ ଆଜୀବନ ନିଜର ଜରାୟୁ ହରାଇଥାନ୍ତି । କେତେଜଣଙ୍କର ମଧ୍ୟ ବନ୍ଧ୍ୟାଦୋଷ, ବାରଂବାର ଗର୍ଭପାତ ଓ ଅପରିଣତ ପ୍ରସବ ହୋଇଥାଏ ।
ପ୍ରସବ ସମସ୍ୟା :-
ଏହି ସମୟରେ ଝିଅଟିର ନିଜ ଶରୀରର ବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଦରକାର ହେଉଥିବାବେଳେ ଶିଶୁଟିପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦରକାର ହୋଇଥାଏ । ତେଣୁ ଝିଅଟି ରକ୍ତହୀନତା ରୋଗ ଭୋଗିଥାଏ । ଏହାଛଡ଼ା ପ୍ରସବପୂର୍ବରୁ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚରକ୍ତ ଚାପ ଓ ବାତ, ସଂକୁଂଚିତ ବସ୍ତିହାଡ଼ ପାଇଁ କଷ୍ଟସାଧ୍ୟ ପ୍ରସବ ଆଦି ହୋଇଥାଏ ଏବଂ ସିଜରିଆନ୍ ଅସ୍ତ୍ରୋପଚାର ହୋଇଥାଏ । ସେମାନଙ୍କର ଅପରିଣତ ଓ ଅଳ୍ପ ଓଜନର ଶିଶୁ ହୋଇଥାଏ । ତେଣୁ ଶିଶୁ ମୃତ୍ୟୁହାର ଅନେକାଂଶରେ ବଢ଼ିଯାଏ ।
ଅଳ୍ପବୟସରେ ଗର୍ଭଧାରଣର ମାନସିକ ସମସ୍ୟା :-
ବିବାହିତା କିଶୋରୀ କନ୍ୟାଟିଏ ଗର୍ଭାବସ୍ଥା ଓ ପ୍ରସବକୁ ଆନନ୍ଦର ସହ ଗ୍ରହଣ କଲାବେଳେ ଅବିବାହିତା ଝିଅଟିଏ ପାଇଁ ଏହା ମାନସିକ ଦୁଃଶ୍ଚିନ୍ତାର ବୋଝ ହୋଇଯାଏ, ସେ ଭାବପ୍ରବଣତାର ବିଭିନ୍ନ ପର୍ଯ୍ୟାୟ ଯଥା ଆନନ୍ଦ, କ୍ରୋଧ, ମାନସିକ ଅବସାଦ, ଓ ଅପରାଧ ବୋଧ ଦେଇ ଗତିକରିଥାଏ ।
ଅଳ୍ପବୟସରେ ଗର୍ଭଧାରଣର ନିରାକରଣ :-
ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ତଥା ସମାଜର ସବୁସ୍ତରରେ ସଚେତନତା ରହିବା ଉଚିତ । ସେଥିପାଇଁ ପରିବାର ନିୟନ୍ତ୍ରଣ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅବାଂଛିତ ଗର୍ଭଧାରଣ ବିଷୟରେ ସମସ୍ତଙ୍କର କିଛି ନା’ କିଛି ଜ୍ଞାନରହିବା ଜରୁରୀ । ବିକାଶୋନ୍ମୁଖୀ ଦେଶମାନଙ୍କରେ ବିଶେଷକରି ଗାଁଗହଳିରେ ଝିଅମାନଙ୍କୁ ଖୁବ୍ ଶୀଘ୍ର ବିବାହ କରିଦିଆଯାଏ ଏବଂ ସେଥିରେ କନ୍ୟାପିତା କନ୍ୟାଦାୟରୁ ମୁକ୍ତ ହୋଇଯାନ୍ତି । ତେଣୁ ନିୟମ ଅନୁଯାୟୀ ଅଠର ବର୍ଷ ତଳକୁ ଝିଅକୁ ବିବାହଦେବା ଅନୁଚିତ ।
ଗର୍ଭାବସ୍ଥାରେ ସତର୍କତା :-
ପ୍ରସୂତି ପରିଚର୍ଯ୍ୟାଗାରରେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା, ରକ୍ତଚାପ ଆଦି ପରୀକ୍ଷା କରାଇନେବା ଉଚିତ୍ । ଏହାଛଡ଼ା ସୁଷମଖାଦ୍ୟ ଓ ଆଇରନ୍, କ୍ୟାଲସିୟମ୍ ଖାଇବାପାଇଁ ପରାମର୍ଶ ଦେବା ଉଚିତ୍ ।
ପ୍ରସବ ସମୟରେ ଏବଂ ତତ୍ପରବର୍ତ୍ତୀ ସମୟରେ ସତର୍କତା :-
ଅଳ୍ପବୟସର ଗର୍ଭବତୀ ନାରୀମାନଙ୍କର ପ୍ରସବ ସମୟରେ ଅନେକ ଜଟିଳତା ଦେଖାଦିଏ । ତେଣୁ ସେମାନେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ମାନେ ଚିକିତ୍ସାଳୟରେ ସେମାନଙ୍କ ପ୍ରସବ କରାଇବା ଉଚିତ, ପ୍ରସବ ପରେ ପରେ ବେଶୀ ରକ୍ତକ୍ଷରଣ ଓ ସେପ୍ସିସ୍ର ଭୟଥାଏ । ତେଣୁ ସେସବୁ କୁ ଏଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପମାନ ନେବା ଉଚିତ୍ । ଏହାଛଡ଼ା ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ମା’ଟିକୁ ଉପଯୁକ୍ତ ଉପଦେଶ ଦେବା ଜରୁରୀ । ପ୍ରସବପରେ ପୁଣିଥରେ ଗର୍ଭଧାରଣ ନକରିବା ପାଇଁ ଝିଅଟିକୁ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବା ଉଚିତ । ଅଳ୍ପବୟସର ମା’ମାନଙ୍କର ଆର୍ଥିକ ଓ ସାମାଜିକ ନିରାପତ୍ତା ନଥିବାରୁ ଏବଂ ଶିଶୁର ଲାଳନପାଳନ ବିଷୟରେ ସେମାନେ ଅଜ୍ଞଥିବାରୁ, ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ସେମାନେ ନେଇପାରନ୍ତି ନାହିଁ । ତେଣୁ ଶିଶୁମାନେ ଶାରୀରିକ ଓ ମାନସିକ ସ୍ତରରେ ଅବହେଳିତ ହୁଅନ୍ତି । ବେଳେବେଳେ ଅଳ୍ପବୟସରେ ଗର୍ଭଧାରଣର ଦୁଃଖ, ଅପମାନ, ସାମାଜିକ ନିନ୍ଦା ଓ କଳଂକ ତଥା ଆର୍ôଥକ ସଂକଟ ଏବଂ ଏକ ସଂପୂର୍ଣ୍ଣ ନୂତନ ଭୂମିକା ତାଙ୍କପାଇଁ ବିବାହ ବିଚ୍ଛେଦ ତଥା ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ । ତେଣୁ କିଶୋରୀ କନ୍ୟାମାନଙ୍କର ପ୍ରଜନନକ୍ଷମ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପିତା, ମାତା, ପରିବାର ବର୍ଗ, ଆତ୍ମୀୟସ୍ୱଜନ ତଥା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞମାନେ ଏକ ସ୍ୱରରେ ସେମାନଙ୍କୁ ସୁରକ୍ଷାର ବଳୟ ଭିତରେ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତି ବଦ୍ଧହେବା ଉଚିତ୍ ।

ଲିଙ୍କ୍େ ରାଡ଼,କଟକ-୧୨
ଫୋନ୍ ନଂ-୯୪୩୭୦୫୫୦୦୭

You might also like

Leave A Reply

Your email address will not be published.

nineteen − thirteen =