ହର୍ଷବର୍ଧନଙ୍କ ଆୟୁଷ୍ମାନ ବଟିକା

0

ସୁବିଧା ଓ ସହାୟତାର ହାତ ବଢାଇଲା କେନ୍ଦ୍ର
ଟିମ୍‍ ପଠାଇଲେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବୀନଙ୍କ ସହ କଥା ହେଲେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରୁ କେଉଁଠି ଭଲ । ଏଭଳି ଏକ ପ୍ରସଙ୍ଗ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରୁଥିଲା । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ପ୍ରମୁଖ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ପ୍ରଥମେ ଅନୁରୋଧ କଲେ ଓ ପରେ କଠୋର ସମାଲୋଚନା ହେଲା ।
ନିର୍ବାଚନ ପରବର୍ତୀ ପରିସ୍ଥିତିରେ ନୂଆ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଧନ କିନ୍ତୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଲାଗି ପାଗ ଭିଡିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଦାୟିତ୍ୱରେ ଥିବା ସିଇଓ ଡ. ଇନ୍ଦୁଭୂଷଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ । ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ସହିତ ବିକଳ୍ପ ଫର୍ମୁଲା ନିର୍ଣ୍ଣୟ କରିଛନ୍ତି ।
ନୂଆଦିଲ୍ଲୀରେ ଅନୁଷ୍ଠିତ ଆୟୁଷ୍ମାନ ସମୀକ୍ଷା ବୈଠକରେ ରାଜ୍ୟ ଯୋଜନା ସହିତ ଏହି ଯୋଜନାର ସମ୍ମିଶ୍ରଣ ପାଇଁ ମଧ୍ୟ ରାସ୍ତା କାଢୁଛନ୍ତି । ଏ ସଂକ୍ରାନ୍ତ ସମସ୍ତ ସୁବିଧା ଓ ସହାୟତା ଦେବାକୁ କେନ୍ଦ୍ର ହାତ ବଢାଇଛି । ଫଳରେ ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରାଜି ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।
କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି । ଏହା ବୀମା ସହିତ ସଂଶ୍ଳିଷ୍ଟ । ମାତ୍ର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନିଶ୍ଚିତ କାର୍ଯ୍ୟକ୍ରମ ଓ ଏଥିରେ ପୁରୁଷଙ୍କ କ୍ଷେତ୍ରରେ ୫ଲକ୍ଷ, ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନା ଲାଗୁ କରିବା ପାଇଁ ସରକାର ଯଦି ସମ୍ମତ ହୁଅନ୍ତି, ତେବେ ଏହି ଯୋଜନାର ରୂପରେଖ କଣ ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ଯୋଜନା ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗୁ କରିବା ପାଇଁ ସମ୍ମତି ପ୍ରକାଶ କରି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଇତିମଧ୍ୟରେ କିଛି ରାଜ୍ୟ ଏହାକୁ କାର୍ଯ୍ୟକାରୀ କଲେଣି । ମାତ୍ର ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ଏହାକୁ ବିରୋଧ କରିଥିଲେ ।

You might also like

Leave A Reply

Your email address will not be published.

1 × five =