ମୁକାବିଲା ଲାଗି ହାତ ମିଳାଇଲେ

0

ପଞ୍ଚାୟତ, ବିଦ୍ୟାଳୟ, ଶିଳ୍ପ ସଂସ୍ଥାକୁ ସତର୍କ ସୂଚନା
ପାଠପଢା ବେଳେ ପିଲାଙ୍କୁ ସଚେତନ କରାଯିବ
ପଞ୍ଚାୟତ ପ୍ରତିନିଧିଙ୍କୁ ବି ସାମିଲ କରିବେ ସରକାର

ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍‍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନ ବ୍ୟାପିବ ସେଥିଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି । ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ଇସ୍ପାତ ଓ ଖଣି ବିଭାଗ ସହ ମିଳିତ ଭାବେ ପଦକ୍ଷେପ ନିଆଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ମିଳିତ ଭାବେ ଲେଖିଥିବା ପତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ଏହି ରୋଗ ସଂକ୍ରାନ୍ତରେ ସଚେତନ କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ବିଦ୍ୟାଳୟ ଗୁଡିକ ଯେଭଳି କାର୍ଯ୍ୟକରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି ।
ପ୍ରଧାନଶିକ୍ଷକ ଓ ଅନ୍ୟ ବଛା ବଛା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଭେକ୍ଟର ବାହିତ ରୋଗ ସଂକ୍ରାନ୍ତରେ ସଚେତନ କରିବେ । ପାଠପଢା ସମୟରେ ପିଲାଙ୍କୁ ରୋଗ ସଂକ୍ରାନ୍ତରେ ସଚେତନ ଲାଗି କୁହାଯାଇଛି ।

ମଶାବଂଶ ବୃଦ୍ଧି ରୋକିବା ସହିତ ପରିବେଶକୁ ସଫା ସୁତୁରା ରଖିବା, ହାତ ଧୋଇବା ଏବଂ ଏକ ସୁସ୍ଥ ପରିବେଶ ଗଠନ ଉପରେ ସେମାନଙ୍କୁ ସଚେତନ କରାଯିବ । ଏହା ଉପରେ ବିଦ୍ୟାଳୟରେ ବିଭିନ୍ନ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ ଲାଗି କୁହାଯାଇଛି । ଜିଲ୍ଲା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ୍‍ ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମ ଚଳାଯିବ । ଏନ୍‍ଏସ୍‍ଏସ୍‍, ଏନ୍‍ସିସି, ସ୍କାଉଟ୍‍ ଏବଂ ଗାଇଡ୍‍ମାନଙ୍କୁ ସଚେତନ କାର୍ଯ୍ୟକ୍ରମରେ ସାମିଲ ପାଇଁ ପରାମର୍ଶ ଦିଆଯାଇଛି । ସ୍କୁଲ ପରିସରକୁ ପରିଷ୍କାର ରଖିବା ସହିତ ଛାତ୍ରାବାସ ଗୁଡିକରେ ମଶାରୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଦା ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ଏହିସବୁ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଲାଗି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମିଲ ଲାଗି କୁହାଯାଇଛି । ଜୁଲାଇ ୩ ତାରିଖରେ ଆହୂତ ସ୍ୱତନ୍ତ୍ର ଗ୍ରାମସଭା ଓ ପଲିସଭାରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହିତ ତ୍ସାସ୍ଥ୍ୟ ବାର୍ତ୍ତା ପାଠ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଦା ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ଲେଖିଥିବା ପତ୍ରରେ ପୌରାଞ୍ଚଳରେ ୱାର୍ଡ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ଲାଗି ପରାମର୍ଶ ଦେଇଛନ୍ତି । ସହରାଞ୍ଚଳରେ ଥିବା ଆଶା, ଉଷା, ଅଙ୍ଗନବାଡି, ଏଏନ୍‍ଏମ୍‍, ଏପିଏ୍‍ମ୍‍, ସାନିଟାରୀ ଇନ୍ସପେକ୍ଟରମାନଙ୍କୁ ଏଥିରେ ନିୟୋଜିତ ଲାଗି କୁହାଯାଇଛି । ଆବଶ୍ୟକ ସ୍ଥଳେ ୧୦୮ ଓ ୧୦୨ ଆମ୍ବୁଲାନ୍ସର ଉପଯୋଗ ଲାଗି ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଇସ୍ପାତ ଓ ଖଣି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କିଶୋର ଶର୍ମା ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଦା ମିଳିତ ଭାବେ ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ଶିଳ୍ପ ଓ ଖଣି ଅଞ୍ଚଳରେ ଯେଭଳି ଭେକ୍ଟର ଓ ଜଳ ବାହିତ ରୋଗ ନବ୍ୟାପିବ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ।

You might also like

Leave A Reply

Your email address will not be published.

4 × four =