ବିଭାଗ ସଜାଡିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତନାଘନା

0

ଶହେ ଦିନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟର ତାଲିକା ମାଗିଲେ

ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା (ଇ-ଏଚ୍‍ଏମ୍‍ଏସ୍‍) କାର୍ଯ୍ୟକାରୀ ଲାଗି ଭିତ୍ତିଭୂମି ପ୍ରସ୍ତୁତ ସହିତ ଏଥିପାଇଁ ବଶ୍ୟକ ପଡୁଥିବା ଅର୍ଥ ଓ ମାନବ ସମ୍ବଳ ସଂକ୍ରାନ୍ତରେ ଅବଗତ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଇ-ଏଚ୍‍ଏମ୍‍ଏସ୍‍ ସଂକ୍ରାନ୍ତରେ ସମୀକ୍ଷା କରି ମନ୍ତ୍ରୀ ଆସନ୍ତା ୨ବର୍ଷ ମଧ୍ୟରେ ଯେଭଳି ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ଦୁଇଟି ପ୍ରମୁଖ ଡାକ୍ତରଖାନା କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ୍‍ ପ୍ରକଳ୍ପ ଭାବେ ଇ-ଏଚ୍‍ଏମ୍‍ଏସ୍‍ କାର୍ଯ୍ୟକାରୀ ହେଉଛି। ଆସନ୍ତା ୬ମାସ ମଧ୍ୟରେ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ କରିବ । ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି । ପ୍ରଥମତଃ ଏହି ଯୋଜନାରେ ରୋଗୀମାନଙ୍କର ସମସ୍ତ ସୂଚନା ଇଲେକଟ୍ରୋନିକ ବ୍ୟବସ୍ଥାରେ ରହିବ । ଏଥିଯୋଗୁଁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନାକୁ ବାରମ୍ବାର ଦଉଡି ଟିକଟ କାଟିବେ ନାହିଁ । ସେହିଭଳି ସେମାନଙ୍କର ରୋଗର ସମ୍ପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ରହିଥିବା ଯୋଗୁଁ ଚିକିତ୍ସକମାନେ ସହଜରେ ସେମାନଙ୍କ ରୋଗ ସଂକ୍ରାନ୍ତରେ ଅବଗତ ହୋଇ ଚିକିତ୍ସା କରିପାରିବେ । ସର୍ବୋପରି ରୋଗୀଟି ହାତରେ ଡାକ୍ତରଖାନା କାଗଜଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦଉଡିବ ନାହିଁ କି ତାହାର ସୂଚନାକୁ କେହି ଅପବ୍ୟବହାର କରିପାରିବେ ନାହିଁ ।
ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଇଏଚ୍‍ଏମ୍‍ଏସ୍‍ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ଏହି ଯୋଜନାର ପାଇଲଟ ପ୍ରକଳ୍ପକୁ ସିଡାକ୍‍ କାର୍ଯ୍ୟକାରୀ କରୁଥିବାବେଳେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ଗସ୍ତକରି କ୍ଷେତ୍ର ପ୍ରସ୍ତୁତ ଲାଗି ଏହି ସଂସ୍ଥାକୁ କୁହାଯାଇଛି ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂକ୍ରାନ୍ତରେ ମଧ୍ୟ ଆଜି ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରିଥିଲେ । ସୂଚନା ଅନୁଯାୟୀ ଏନଏଚ୍‍ଏମ୍‍ ପିଆଇପିରେ ୨୦୧୮-୧୯ ରେ ୪୦୩ ଟି ପ୍ରକଳ୍ପ ପାଇଁ ୧୪୪କୋଟି ୬ଲକ୍ଷ ୧୬ହଜାର ଟଙ୍କା ଅନୁମୋଦିତ ହୋଇଥିବାବେଳେ ୧୨୧ କୋଟି ୭୦ଲକ୍ଷ ୧୬ହଜାର ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ୨୦୧୯-୨୦ ରେ ୭୧ଟି ପ୍ରକଳ୍ପ ପାଇଁ ୧୪୭କୋଟି ୭୧ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବାବେଳେ ୮୧ କୋଟି ୮୬ଲକ୍ଷ ୬୦ହଜାର ଟଙ୍କା ମଞ୍ଜୁର ହୋଇଛି । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୨୦୧୫-୧୬ ରୁ ୨୦୧୮-୧୯ ପର୍ଯ୍ୟନ୍ତ ୬୯ଟି ପ୍ରକଳ୍ପ ଲାଗି ୭୭କୋଟି ୨୫ଲକ୍ଷ ୩୪ହଜାର ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟ ଯୋଜନାରେ ୨୦୧୮-୧୯ ରେ ୪୩୩୭ଟି ପ୍ରକଳ୍ପ ଲାଗି ୬୨୫ କୋଟି ଓ ୨୦୧୯-୨୦ ରେ ୮୯୭୨ ପ୍ରକଳ୍ପ ଲାଗି ୫୭୨ କୋଟି ଟଙ୍କା ଅନୁମୋଦିତ ହୋଇଛି । ଦୁଇ ବର୍ଷରେ ଏହିସବୁ ପ୍ରକଳ୍ପ ଲାଗି ୬୯୭ କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
ଓଡିଶା ଖଣିଜ ଅଞ୍ଚଳ ବିକାଶ ନିଗମ ୨୦୧୯-୨୦ ବର୍ଷରେ ୪୩୩ ଟି ପ୍ରକଳ୍ପ ଲାଗି ୬୩୦କୋଟି ୨୧
ଲକ୍ଷ ୮୬ହଜାର ଟଙ୍କା ଅନୁମୋଦନ କରିଥିବାବେଳେ ଏଥିରୁ ୯୪କୋଟି ୫୩ଲକ୍ଷ ୨୮ହଜାର ଟଙ୍କା ମଞ୍ଜୁର ହୋଇଛି । ତେବେ ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପର କାର୍ଯ୍ୟ ଯେଭଳି ତ୍ୱରାନ୍ୱିତ ଭାବେ ଧାର୍ଯ୍ୟ ସମୟ ମଧ୍ୟରେ ସରିବ ତାହା ଉପରେ ମନ୍ତ୍ରୀ ଦାସ ଗୁରୁତ୍ୱ ଆରୋପ କରିବା ସହିତ ଆସନ୍ତା ୧୦୦ ଦିନ ମଧ୍ୟରେ କେଉଁସବୁ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ ତାହାର ତାଲିକା ଦେବାକୁ କହିଛନ୍ତି । ଅର୍ଥ ମଞ୍ଜୁର ପରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ତାହା ତୁରନ୍ତ ଆରମ୍ଭ ସକାଶେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ସମୀକ୍ଷା ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ, ବିଭାଗର ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ, ଏସ୍‍ସିବିର ଡିନ୍‍ ତଥା ପ୍ରିନ୍ସପାଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

You might also like

Leave A Reply

Your email address will not be published.

3 × 2 =