
ଭୁବନେଶ୍ବର: ହାଡ଼ଫୁଟି ବା ଚିକେନ୍ ପକ୍ସ ଏକ ସଂକ୍ରାମକ ରୋଗ ଅଟେ। ଏହା ପ୍ରାୟତଃ ଶିଶୁମାନଙ୍କ ଠାରେ ଦେଖାଦେଇଥାଏ। ଯୁବକ ଓ ବୟସ୍କମାନଙ୍କୁ ମଧ୍ୟ ହୋଇଥା। ହେଲେ ଯୁବକ ଓ ବୟସ୍କମାନଙ୍କୁ ଏହି ରୋଗ ହେଲେ ଏହା ମାରାତ୍ମକ ହୋଇପାରେ। ଏହି ରୋଗ ମୁଖ୍ୟତଃ ଭାରିସେଲା ଜୋଷ୍ଟର ନାମକ ଭାଇରସ ଦ୍ୱାରା ବ୍ୟାପିଥାଏ। ରୋଗୀ କାଶିବା, ଛିଙ୍କିବା ଦ୍ୱାରା ଏହି ଭାଇରସ୍ ତାର ଚତୁଃପାର୍ଶ୍ୱସ୍ଥ ବାୟୁମଣ୍ଡଳରେ ବ୍ଯାପିଥାଏ। ଏବଂ ସୁସ୍ଥ ଶିଶୁ,ବ୍ୟକ୍ତିଙ୍କୁ ଆକ୍ରାନ୍ତ କରେ। ଏହା ରୋଗୀର ବସ୍ତ୍ର ଓ ଆସବାବପତ୍ର ବ୍ୟବହାର ଦ୍ୱାରା ମଧ୍ୟ ବ୍ୟାପିଥାଏ।

ଏହି ରୋଗରେ ସମସ୍ତ ଶରୀରରେ ଛୋଟ ଛୋଟ ଫୋଟକା ବାହାରିଥାଏ । ମାତ୍ର ଫୋଟକା ବାହାରିବାର ୨-୩ ଦିନ ଆଗରୁ ଜ୍ୱର ଆସେ, ବାନ୍ତି ଲାଗେ,ଭୋକ କମିଯାଏ ଓ ରୋଗୀ ଚିଡ଼ିଚିଡ଼ା ହୋଇଯାଏ। ଶିରା ବ୍ୟଥା, ଗଳା ବସିବା ଓ ସମସ୍ତ ଶରୀରରେ ପୀଡ଼ା ଆଦି ଲକ୍ଷଣ ଦେଖାଦେଇଥାଏ। ପ୍ରଥମେ ଲାଲ ରଙ୍ଗର ଦାନା ପିଠା ଓ ଛାତିରେ ଦେଖାଯାଏ। ଏହାର ଠିକ ୧-୨ ଦିନ ପରେ ମୁହଁ, ମୁହଁ,ହାତ ପାଦ ସମସ୍ତ ଶରୀରରେ ଦେଖାଯାଏ। ଏହି ଫୋଟକା ଦାନା ଗୁଡିକ ଭୀଷଣ କୁଣ୍ଡାଇ ହୁଏ ଏବଂ ଏହା ଜଳ ରଙ୍ଗର ଓ ପରେ ଦୁଧିଆ ରଙ୍ଗର ହୋଇଯାଏ। ଚାରି କିମ୍ବା ପାଞ୍ଚ ଦିନ ଦେହରେ ଏହି ଫୋଟକା ବଢ଼େ ଓ ନଅ ଦଶ ଦିନରେ କମିବାକୁ ଆରମ୍ଭ ହୁଏ। ଏହି ସମୟରେ ଜ୍ୱର ପ୍ରାୟ ୧୦୨ଡିଗ୍ରି ପର୍ଯ୍ୟନ୍ତ ରହିଥାଏ।

ଏହି ରୋଗ ୧ବର୍ଷ ଠାରୁ କମ୍ ବୟସର ଶିଶୁ ,ଯୁବକ ଓ ବୟସ୍କଙ୍କଠାରେ ମାରାତ୍ମକ ରୂପେ ହୁଏ। ଏହାର ଉପଯୁକ୍ତ ଚିକିତ୍ସା ନକଲେ ବୟସ୍କଙ୍କ ଠାରେ ହରପିକ୍ ଜୋଷ୍ଟର ମଧ୍ୟ ହୋଇପାରେ। ଫୋଟକା ଇନ୍ଫେକସନ୍ ହେଲେ ଶରୀରରେ ଦାଗଗୁଡିକ ରହିଯାଏ। ନିମୋନିଆ, ମସ୍ତିଷ୍କ ଜ୍ୱର,ହେପାଟାଇଟସ୍ ମଧ୍ୟ ହୋଇପାରେ।
ଯଦି ଏହି ରୋଗରେ ଆପଣଙ୍କ ଶିଶୁ ପୀଡ଼ିତ ଥାଏ ତେବେ ସ୍କୁଲୁକୁ କିମ୍ୱା ଅନ୍ୟ କୌଣସି ସ୍ଥାନକୁ ପିଲାଙ୍କୁ ପଠାନ୍ତୁ ନାହିଁ। ପଡ଼ୋଶୀ ଛୁଆମାନଙ୍କ ସହ ଖେଳିବାକୁ ଛାଡନ୍ତୁ ନାହିଁ। ଘରେ କୌଣସି ବ୍ୟକ୍ତି ଏହି ରୋଗରେ ପୀଡ଼ିତ ଥିଲେ ନିମ୍ୱ କ୍ୱାଥରେ ମହୁ ମିଶାଇ ସେବନ କରାଯାଇପାରେ। ଏହାଦ୍ୱାରା ରୋଗ ଆପଣଙ୍କୁ ବ୍ୟାପିବ ନାହିଁ। ଏଥି ସହିତ ହଳଦୀ,ନିମ୍ୱ ପତ୍ର ଓ ବାହାଡା ମଞ୍ଜି ଗୁଣ୍ଡ କରି ୧୦ ଗ୍ରାମ ଲେଖାଏ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିପାରନ୍ତି। ହାଡ଼ଫୁଟି ହେତୁ ଯଦି ଶରୀରରେ ଅନେକ ଦିନ ଧରି ଚିହ୍ନ ରହେ ତେବେ ଆପଣ ହଳଦୀ, ମସୁରଡାଲି, ଦାରୁ ହଳଦୀ ଆଦି ସମ ପରିମାଣ ନେଇ ଗୁଣ୍ଡ କରି ଛେଳି କ୍ଷୀରରେ ମିଶାଇ ଶରୀରରେ ପ୍ରତ୍ୟେକ ଦିନ ଲଗାଇଲେ ଉକ୍ତ ଦାଗ ଲିଭିଯାଏ ।