୫୦୦ ପିଲାଙ୍କ ହୃଦରୋଗ ଚିହ୍ନଟ ପାଇଁ କସରତ ଆରମ୍ଭ

0

ଭୁବନେଶ୍ୱର: ଛୋଟ ଛୋଟ ପିଲାଙ୍କ ହୃଦରୋଗ ସମସ୍ୟାର ପରୀକ୍ଷା ନିରୀକ୍ଷା ସହିତ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ଲାଗି ଆୟୋଜିତ ଦୁଇ ଦିନିଆ ପରୀକ୍ଷା ଶିବିରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଉଦ୍‍ଘାଟନ କରିଛନ୍ତି । ରାଜଧାନୀର ଖାରବେଳ ନଗରସ୍ଥିତ ସତ୍ୟସାଇ କମ୍ୟୁନିଟି ସେଣ୍ଟରଠାରେ ଏହି ଶିବିରକୁ ଉଦ୍‍ଘାଟନ କରିବା ସହିତ ଆସିଥିବା ଶିଶୁ ରୋଗୀଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ ।
ରାଜ୍ୟ ସରକାର ଓ ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ସତ୍ୟସାଇ ହସ୍ପିଟାଲ ସହିତ ହୋଇଥିବା ରାଜିନାମା ଅନୁଯାୟୀ ହୃଦରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସାସେବା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୩ଟି ପରୀକ୍ଷା କ୍ୟାମ୍ପରେ ୧୩୦୦ ଶିଶୁଙ୍କୁ ପରୀକ୍ଷା କରାଯାଇ ଚିକିତ୍ସା ଆବଶ୍ୟକ କରୁଥିବା ୫୦୦ ଶିଶୁଙ୍କର ଅପରେସନ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ କ୍ୟାମ୍ପରେ ୫୦୦ରୁ ଅଧିକ ଶିଶୁଙ୍କୁ ପରୀକ୍ଷା କରାଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ହୃଦରୋଗ ଚିକିତ୍ସା ଆବଶ୍ୟକ ପଡିବ ସେମାନଙ୍କୁ ଅହମ୍ମଦାବାଦର ସତ୍ୟସାଇ ହସ୍ପିଟାଲକୁ ପଠାଯିବ । ରାଷ୍ଟ୍ରୀୟ ବାଲ୍‍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଶିଶୁମାନଙ୍କ ହୃଦରୋଗ ଚିହ୍ନଟ ସହିତ ସମ୍ପୂର୍ଣ୍ଣ ମାଗଣାରେ ଏହି ବ୍ୟୟବହୁଳ ଚିକିତ୍ସା ଯୋଗାଇ ଦେଉଛନ୍ତି । ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଉକ୍ତ କ୍ୟାମ୍ପକୁ ଯାଇ ଶିଶୁ ଓ ସେମାନଙ୍କ ପରିଜନଙ୍କୁ ପିଲାଙ୍କ ସ୍ୱାସ୍ଥାବସ୍ଥା ଏବଂ ସୁବିଧା ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଥିଲେ ।
ସଂଗଠନର କର୍ମକର୍ତ୍ତା ଓ ଅହମ୍ମଦାଦର ସତ୍ୟସାଇ ହସ୍ପିଟାଲରୁ ଆସିଥିବା ଡାକ୍ତରମାନଙ୍କ ସହିତ ମଧ୍ୟ ଶ୍ରୀମତୀ ପଣ୍ଡିତ ଆଲୋଚନା କରିଥିଲେ ।

You might also like

Leave A Reply

Your email address will not be published.

19 − 12 =