ଭୁବନେଶ୍ୱର, ୧୨/୭: ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିସନର ତଥା ଶାସନ ସଚିବ
ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି ।
ବୈଠକର ବିବରଣୀରୁ ପ୍ରକାଶ ଯେ ସମଗ୍ର ବିଶ୍ୱରେ ମାଟିରୁ କୃମି ସଂକ୍ରମଣ ଏକ ସାଧାରଣ ଘଟଣା । ଏଥିଯୋଗୁଁ ବିଶ୍ୱରେ ୨୪୧ ନିୟୁତରୁ ଅଧିକ ଶିଶୁ କୃମିଦ୍ୱାରା ଆକ୍ରାନ୍ତ ହେଉଥିବା ବେଳେ ଓଡିଶାରେ ପ୍ରାୟ ୩୬ ପ୍ରତିଶତ ଶିଶୁ ଏଥିରେ ପୀଡିତ । ସେଥିପାଇଁ କୃମିନାଶକ ଦିବସ ପାଳନ ଅବସରରେ ୧୯ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟର ମୋଟ୍ ୧,୪୨,୯୦,୪୯୧ ପିଲାଙ୍କୁ ଏକକାଳୀନ କୃମିନାଶକ ଔଷଧ ଖୁଆଇବାର ବ୍ୟବସ୍ଥା ହୋଇଛି । ଏଥି ମଧ୍ୟରେ ଏକ ରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୫,୫୪,୨୧୮ ଶିଶୁ ରହିଥିବାବେଳେ ୬ରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ୧,୦୭,୩୬,୨୭୩ ଜଣ ଅଛନ୍ତି ।
ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହାୟତାରେ ଏହି ଅଭିଯାନ ଚଳାଯିବ । ଅଗଷ୍ଟ ୮ ତାରିଖ ଦିନ ଯେଉଁ ପିଲାମାନେ ଏହି ଔଷଧ ଖାଇ ପାରିବେ ନାହିଁ ସେମାନଙ୍କୁ ୧୬ ତାରିଖ ଦିନ ଔଷଧ ଖୁଆଯିବ । ଏହି ଅଭିଯାନ ଚଳାଇବା ନିମନ୍ତେ ଆବଶ୍ୟକୀୟ ଔଷଧ ଓ ଅନ୍ୟାନ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୧ିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ, ପରିବାର କଲ୍ୟାଣ
ନିର୍ଦ୍ଦେଶକ ସରୋଜ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।