ରୋଗୀସେବା ସୁବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଲେ ମନ୍ତ୍ରୀ
୭ମେଡିକାଲ କଲେଜର ଅଧକ୍ଷ ଓ ଅଧୀକ୍ଷକଙ୍କ ସହ ଆଲୋଚନା
ଭୁବନେଶ୍ୱର: ସିଡିଏମଓ ସମ୍ମିଳନୀରେ ଡାକ୍ତରଖାନା ସ୍ଥିତି ସୁଧାରିବା ପାଇଁ ତନାଘନା କରିବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନଜର ମେଡିକାଲ କଲେଜ ଉପରେ ପଡିଛି। ଆଜି ମେଡିକାଲ କଲେଜ ଗୁଡିକରେ ରୋଗୀସେବାକୁ ସୁବ୍ୟବସ୍ଥିତ କରିବା ସହିତ ସରକାର ଯୋଗାଇ ଦେଇଥିବା ଯନ୍ତ୍ରପାତି ଗୁଡିକର ଅଧିକରୁ ଅଧିକ ସଦୁପଯୋଗ ପାଇଁ ମନ୍ତ୍ରୀ ସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୭ଟି ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକମାନଙ୍କ ସହିତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ଦାସ ଏଭଳି ନିର୍ଦ୍ଦେଶ ଦେବା ସହିତ ସୁପରସ୍ପେଶିଆଲିଷ୍ଟ ବିଭାଗ ଗୁଡିକୁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ରେ ପରିଣତ ପାଇଁ
ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ହାର୍ଟ, କିଡ୍ନୀ, ଯକୃତ ଭଳି ବିଭାଗ ଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବାଲାଗି କୁହାଯାଇଛି ।
ମେଡିକାଲ କଲେଜ ଗୁଡିକୁ ଯୋଗାଇ ଦିଆଯାଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ସେହିଭଳି ପ୍ରତ୍ୟେକ ମେଡିକାଲ କଲେଜରେ ଥିବା ସମସ୍ତ ପ୍ରକାର ଯନ୍ତ୍ରପାତିର ଯେଭଳି ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ମେଡିକାଲ କଲେଜ ଗୁଡିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ ଲାଗି କୁହାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ମାଧ୍ୟମରେ ରୋଗୀମାନେ ଯେଭଳି ଠିକଣା ସେବା ପାଇପାରିବେ ଓ ଆବଶ୍ୟକ ସ୍ଥଳେ ଅନ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ରେଫର କରିବାରେ ଯେଭଳି ଆଦୌ ବିଳମ୍ବ ନଘଟେ ତାହା ଉପରେ ଦୃଷ୍ଟିଦେବାକୁ ମେଡିକାଲ କଲେଜ ଅଧୀକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ସ୍ପଷ୍ଟଭାବେ କୁହାଯାଇଛି ।
ମେଡିକାଲ କଲେଜଗୁଡିକରେ ଅଧିକାଂଶ ସମୟରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ କର୍ମଚାରୀମାନେ ଅନୁପସ୍ଥିତ ରହୁଥିବାର ଅଭିଯୋଗ ଆସୁଥିବାରୁ ଏହାର ସମାଧାନ ଲାଗି ବାୟୋମେଟ୍ରିକ ଯନ୍ତ୍ର ଲଗାଇବା ସହିତ ନିୟମିତ ବ୍ୟବଧାନରେ ଏହାର ଯାଞ୍ଚକରି ପଦକ୍ଷେପ ନେବାକୁ
କୁହାଯାଇଛି । ରାଜ୍ୟ ସରକାର ମେଡିକାଲ କଲେଜଗୁଡିକୁ ଯୋଗାଇ ଦେଉଥିବା ପାଣ୍ଠିର ଯେଭଳି ଠିକଣା ଭାବେ ବିନିଯୋଗ ହେବ ସେଥିପାଇଁ ପଦକ୍ଷେପ ନେବା ସହିତ ଗବେଷଣା ଉପରେ ଅଧିକ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ସେହିଭଳି ମେଡିକାଲ କଲେଜଗୁଡିକରେ ଆର୍ଥିକ ପରିଚାଳନା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ କାର୍ଯ୍ୟ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ଯାମିନୀ ଷଡଙ୍ଗୀ ଏବଂ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସୋନାମାଲି ବାଗଙ୍କ ସମେତ ୭ଟି ଯାକ
ମେଡିକାଲ କଲେଜର ଅଧକ୍ଷ, ଅଧୀକ୍ଷକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।